ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀ୍ୟ ଓଡ଼ିଆ ଭାଷା ଦିବସ ପାଳନ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀ୍ୟ ଓଡ଼ିଆ ଭାଷା ଦିବସ ପାଳନ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ଏହାର ସୁନାବେଡ଼ା ପରିସରରେ ଶାସ୍ତ୍ରୀ୍ୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଓ ଆମା ଦାୟିତ୍ବ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ। ବାଲେଶ୍ୱର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରମାକାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଭାଷା ବିଦ୍ୟାଳୟର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଡ. ରୁଦ୍ରାଣୀ ମହାନ୍ତି ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ଓଡ଼ିଶାର ସମସ୍ତ କ୍ଷେତ୍ରରେ ପ୍ରଗତି ପାଇଁ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏକ ଦଶନ୍ଧି ଧରି ଶାସ୍ତ୍ରୀ୍ୟ ଓଡ଼ିଆ ଭାଷା ଦିବସ ପାଳନ ସତ୍ତ୍ୱେ ମୌଳିକ ଆବଶ୍ୟକତା ପାଇଁ ରାଜ୍ୟର ଅନ୍ୟ ଅଞ୍ଚଳ ଉପରେ ନିର୍ଭରଶୀଳତା ନେଇ ଉଦ୍ ବେଗ ପ୍ରକାଶ କରି ସେ ଓଡ଼ିଶାର ଜନସାଧାରଣଙ୍କୁ ବ୍ୟକ୍ତିଗତ ଓ ରାଜ୍ୟ ବିକାଶ ଦିଗରେ ନିଜ ଉଦ୍ୟମକୁ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ। ଏହାବ୍ୟତୀତ ଅଣଓଡ଼ିଆ ଭାଷାଭାଷୀଙ୍କ ପାଇଁ ଶାସ୍ତ୍ରୀ୍ୟ ଓଡ଼ିଆ ଭାଷାରେ ଡିପ୍ଲୋମା ଓ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଚଳନ କରି ଏହାକୁ ବ୍ୟାପକ ଭାବେ ପ୍ରସାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ. ରମାକାନ୍ତ ବେହେରା ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭିତ୍ତିଭୂମି ଉପରେ ଆଲୋକପାତ କରି ଆକର୍ଷଣୀୟ ଉପସ୍ଥାପନା କରିଥିଲେ। ଆମର ଦାୟିତ୍ୱ ଓ ଭୂମିକା ଉପରେ ଗୁରୁତ୍ବାରୋପ କରି ସେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରାଥମିକତା ଦେବା ସହ ଦୈନନ୍ଦିନ କଥାବାର୍ତ୍ତାରେ ଏହାର ଶାସ୍ତ୍ରୀୟ ସାରକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଏହାବ୍ୟତୀତ ଓଡ଼ିଆର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ସହ ଭାଷାଗତ ବିବିଧତାକୁ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଫେସର ପଣ୍ଡା ବେଦରୁ ସମାନତା ଆଙ୍କି ଶାସ୍ତ୍ର ଓ ଭାଷାର ସାରକୁ ଚମତ୍କାର ଭାବେ ଚିତ୍ରଣ କରିଥିଲେ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିଶେଷ କରି ସମ୍ମାନଜନକ ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଆଲୋକ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଓଡ଼ିଆ ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଆଗ୍ରହ ଓ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ବୋଲି ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

Scroll to Top