![](https://koraputdigest.com/wp-content/uploads/2024/03/WhatsApp-Image-2024-03-14-at-16.19.59-1024x576.webp)
ଆଗାମୀ ନିର୍ବାଚନରେ ଯୁବଗୋଷ୍ଠୀଙ୍କ ସାର୍ବଜନୀନ ଏବଂ ଜ୍ଞାନପ୍ରଦ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ “ମେରା ପେହଲା ଭୋଟ୍ ଦେଶ କେ ଲିଏ”ର ଏକ ଅଂଶ ଭାବରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ମାର୍ଚ୍ଚ ୧୩, ୨୦୨୪ରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିର୍ବାଚନରେ ମୂଲ୍ୟବାନ ଭୋଟ୍ ଦେଇ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଓ ଭାରପ୍ରାପ୍ତ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଶ୍ୱବିଦ୍ୟାଳୟର ପ୍ରୋକ୍ଟର ପ୍ରଫେସର ଭରତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଛାତ୍ର କଲ୍ୟାଣ ଡିନ୍ (ଡିଏସ୍ ଡବ୍ଲ୍ୟୁ) ଡ. ରାମେନ୍ଦ୍ର କୁମାର ପାଢ଼ୀ; ଏନ୍ ଏସ୍ ଏସ୍ ର ସଂଯୋଜକ ଡ. ଅଞ୍ଜନେୟୁଲୁ ଥୋଟାପଲ୍ଲୀ; ଏବଂ ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇଙ୍କ ସମେତ ଅନ୍ୟ ଅଧ୍ୟାପକମାନେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
![](https://koraputdigest.com/wp-content/uploads/2024/03/WhatsApp-Image-2024-03-14-at-16.20.14-1024x576.webp)
ପ୍ରଫେସର ପଣ୍ଡା ଆମ ଦେଶରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସଫଳ ଗଣତନ୍ତ୍ରର ନୀତି ଓ ଏହାର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ଯୁବ ଭୋଟର ଅର୍ଥାତ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରଣା ଗଣତନ୍ତ୍ରରେ ଭୋଟ୍ ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବାରେ ଜାତି, ବର୍ଣ୍ଣ, ଧର୍ମ, ବର୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ଆମ ସମ୍ବିଧାନ ସମାନ ଅଧିକାର ପ୍ରଦାନ କରିଛି । ତେଣୁ ଭାରତୀୟ ଗଣତନ୍ତ୍ରକୁ ବିଶ୍ୱର ଏକ ଆଦର୍ଶ ଗଣତନ୍ତ୍ର ରେ ପରିଣତ କରିବା ପାଇଁ ଏହି ସାମ୍ବିଧାନିକ ଅଧିକାରର ସଠିକ ଉପଯୋଗ କରିବା ଛାତ୍ରମାନଙ୍କର ଦାୟିତ୍ୱ ବୋଲି ସେ କହିଥିଲେ । ସେ ଭୋଟର ଆପ୍ ଡାଉନଲୋଡ୍ କରିବା ସମେତ ନିର୍ବାଚନ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରିବା ସହ ସମସ୍ତ ଛାତ୍ରଛାତ୍ରୀ ଯେପରି ନାମ ପଞ୍ଜୀକୃତ କରିବେ ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରଫେସର ପଣ୍ଡାଙ୍କ ଦ୍ୱାରା ଭୋଟର ଶପଥ ଗ୍ରହଣ କରିଥିଲେ। ଏହାବ୍ୟତୀତ ସେମାନେ “ଭୋଟର ଶକ୍ତି ଏବଂ ଭୋଟରଙ୍କ ଶକ୍ତି”, “ମେରା ପେହଲା ଭୋଟ୍ ଦେଶ କେ ଲିଏ” ଏବଂ “ଚୁନାବ କା ପର୍ବ” ସମ୍ପର୍କିତ ସ୍ଲୋଗାନ୍ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଆଗାମୀ ନିର୍ବାଚନରେ ଅଧିକ ଅଂଶଗ୍ରହଣକୁ ସମର୍ଥନ କରିଥଲେ ବୋଲି ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି ।
![](https://koraputdigest.com/wp-content/uploads/2024/03/WhatsApp-Image-2024-03-14-at-16.19.37-1024x438.webp)