ବିଜ୍ଞାନ କେବଳ ଏକ ବିଷୟ ନୁହେଁ । ଏହା ଏକ ଦୃଷ୍ଟିଭଙ୍ଗୀ

ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କୋରାପୁଟ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀକାନ୍ତ ଜାନୀ ଜଣାଇଛନ୍ତି । ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବୈଜ୍ଞାନିକ ଚେତନା କୁ ପ୍ରୋତ୍ସାହନ ଦେବା ପାଇଁ ସଭା ସମିତି , ପ୍ରଦର୍ଶନୀ ଓ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଜ୍ଞାନ କେବଳ ଏକ ବିଷୟ ନୁହେଁ ବରଂ ଅନ୍ୟ ସମସ୍ତ ବିଷୟକୁ ପଢ଼ି ସଠିକ ଭାବେ ବୁଝିବାର ମାଧ୍ୟମ ହୋଇଥିବା ଯୋଗୁଁ ବର୍ତମାନ ନୂତନ ଶିକ୍ଷା ନୀତି ରେ ଏହି ଦିଗ ପ୍ରତି ଛାତ୍ରଛାତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା ଶ୍ରୀ ଜାନୀ ଜଣାଇଛନ୍ତି । ବର୍ତମାନ 5T ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଗୁଡିକରେ ଉପଯୁକ୍ତ ବିଜ୍ଞାନାଗାର ଖୋଲା ଯାଇ ବିଭିନ୍ନ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଇଛି । ମଣିଷ କଙ୍କାଳ ର ନମୁନା ଠାରୁ ଆରମ୍ଭ କରି ପର୍ଯ୍ୟାୟ ସାରଣୀ ର ବିଶାଳ ପ୍ରଦର୍ଶନୀ ପର୍ଯ୍ୟନ୍ତ ବିଭିନ୍ନ ବିଜ୍ଞାନ ଶିକ୍ଷା ଉପଯୋଗୀ ଉପକରଣ କୁ ହାତ ପାନ୍ତାରେ ପାଇ ଛାତ୍ରଛାତ୍ରୀ ବାସ୍ତବ ଶିକ୍ଷା ର ଅନୁଭୂତି ପାଇ ପାରୁଥିବା ମହାଦେଇପୁଟ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ରଥ ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ ସ୍ବେଚ୍ଛାସେବୀ ସଂଗଠନ ସେଭ ଦ ଚିଲଡ୍ରେନ ଦ୍ୱାରା ଏହି ବିଦ୍ୟାଳୟରେ ଷ୍ଟେମ ଲାଵରେଟରୀ ସ୍ଥାପନ କରାଯାଇ ପିଲାଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ର କାର୍ଯ୍ୟ ପ୍ରଣାଳୀ କୁ ଜାଣିବା ସହ ଛାତ୍ରଛାତ୍ରୀ ସେଥିରେ କାର୍ଯ୍ୟ କରି ନୂତନ ଯନ୍ତ୍ର ପ୍ରସ୍ତୁତ କରିବାର ଭାବନା ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିବା ଶ୍ରୀ ରଥ ଜଣାଇଛନ୍ତି । ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ବୈଜ୍ଞାନିକ ଉପକରଣ କୁ ନେଇ ଅଭ୍ୟାସ କରୁଥିବା ଯୋଗୁଁ ବିଦ୍ୟାଳୟର ଅଭିଜ୍ଞ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଶିକ୍ଷକ ଙ୍କ ସହଯୋଗରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇ ଛାତ୍ରଛାତ୍ରୀ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରୀ ଜଣାଇଛନ୍ତି ।

Scroll to Top