Anshuman – the young Astronomer from Damanjodi in Koraput district .Read & Listen

ମହାକାଶ ରେ ଥିବା ତାରା , ଗ୍ରହ , ନକ୍ଷତ୍ର ର ଅଧ୍ୟୟନ କରିବା ପାଇଁ କୋରାପୁଟ ଅଞ୍ଚଳ ପ୍ରକୃଷ୍ଟ ସ୍ଥାନ ବୋଲି ଦାମନଯୋଡି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ର ଦଶମ ଶ୍ରେଣୀ ର ଛାତ୍ର ତଥା ଯୁବ ମହାକାଶ ବିଜ୍ଞାନୀ ଅଂଶୁମାନ ସାହୁ ମତବ୍ୟକ୍ତ କରିଛନ୍ତି । କୋରାପୁଟ ଅଞ୍ଚଳ ଏବଂ ବିଶେଷ କରି ଦେଓମାଳି ପର୍ବତ ଭଳି ଉଚ୍ଚ ସ୍ଥାନରେ ରାତ୍ରି ସମୟରେ ଆକାଶ ପ୍ରଦୂଷଣ ମୁକ୍ତ ରହୁଥିବା ଯୋଗୁଁ ତାରା , ନକ୍ଷତ୍ର ଓ ଗ୍ରହ ମାନଙ୍କ ସ୍ଥିତି , ଆକାର ଓ ସେଗୁଡ଼ିକର ଗତିବିଧି କୁ ଭଲଭାବେ ନିରୀକ୍ଷଣ କରିହେବ ବୋଲି ସେ ଜଣାଇଛନ୍ତି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ଵାରା ଚଳିତ ବର୍ଷ ପାଇଁ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ ରେ ଭାଗ ନେବାର ସୁଯୋଗ ପାଇ ଆଜି ଦାମନଯୋଡି ଫେରିଆସିଥିବା ଅବସରରେ ସେ ଏହି ମତ ରଖିଛନ୍ତି । ସମଗ୍ର ଦେଶରୁ ଚୟନ କରାଯାଇଥିବା 150 ଯୁବ ବୈଜ୍ଞାନିକ ଙ୍କ ମଧ୍ୟରୁ ଅଂଶୁମାନ ଜଣେ ହେବା କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରେ ପ୍ରସ୍ଫୁଟିତ ହେଉଥିବା ସମ୍ଭାବନା ପ୍ରତି ଆଲୋକପାତ କରିଛି ବୋଲି ଅଂଶୁମାନ ର ପରିବାର ବର୍ଗ ଅନୁଭବ କରିଛନ୍ତି । ପିଲାଟିବେଳୁ ମହାକାଶ ପ୍ରତି ପୁଅ ର ଏକ ବିଶେଷ ଆକର୍ଷଣ ଓ ସେ ସମ୍ପର୍କରେ ନିତିଦିନ ନୂତନ ପ୍ରଶ୍ନ କୁ ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିରରେ ଅଧ୍ୟାପନା କରୁଥିବା ଅଂଶୁମାନ ର ବାପାଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ନୂତନ ଆନନ୍ଦ ଭରିଦେଉଥିଲା ।ନିଜ ମଧ୍ୟରେ ଉଦ୍ରେକ ହେଉଥିବା ପ୍ରଶ୍ନ ର ଉତ୍ତର ଦେବାରେ କିମ୍ବା ଜାନିନଥିଲେ ସଂଗ୍ରହ କରି ଆଣି ଯୋଗାଇଦେବାରେ ବାପା କେବେ ହେଲେ ଅବହେଳା କରି ନଥିଲେ ବୋଲି ବାପାଙ୍କ ପ୍ରତି କୃତଜ୍ଞତା ଜଣାଇ ଅଂଶୁମାନ ଆନନ୍ଦିତ ହୋଇଛନ୍ତି । ଏଥି ପୂର୍ବରୁ ପଠାଣି ସାମନ୍ତ ପ୍ଲାନେଟରିଆମ୍ ଦ୍ଵାରା ଆୟୋଜିତ ୟଙ୍ଗ ଅଷ୍ଟ୍ରନମର ଟାଲେଣ୍ଟ ସର୍ଚ୍ଚ ରେ ଭାଗ ନେଇ ଓଡ଼ିଶାର ଶ୍ରେଷ୍ଠ 20 ଜଣ ଯୁବ ବିଜ୍ଞାନୀଙ୍କ ମଧ୍ୟରେ ଜଣେ ଭାବେ ମାନ୍ୟତା ପାଇବା ସହ ଉପହାର ସ୍ୱରୂପ ଆୟୋଜକ ଙ୍କ ଠାରୁ ଏକ ଉନ୍ନତ ମାନର ଟେଲିସ୍କୋପ ପାଇଥିଲେ ଯାହା ମହାକାଶ ଗବେଷଣାରେ ତାଙ୍କୁ ବିଶେଷ ସହଯୋଗ କରିଥିବା ଅଂଶୁମାନ ଜଣାଇଛନ୍ତି । ଏକାଧାର ଭାବେ ସଙ୍ଗୀତ , ଚିତ୍ର ଓ ମହାକାଶ ଜ୍ଞାନ ପିପାସା ରଖିଥିବା ଅଂଶୁମାନ ଭବିଷ୍ୟତ ଜୀବନରେ ଜଣେ ମହାକାଶ ବିଜ୍ଞାନୀ ହେବାର ଲକ୍ଷ୍ୟ ରଖିଥିବା ବେଳେ ତାଙ୍କ ସଫଳତା ଏହି ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ଅନୁପ୍ରାଣୀତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
Scroll to Top