Career counselling camp was held at Koraput

କୋରାପୁଟ ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସର ମଧ୍ୟରେ ଦିବ୍ୟାଙ୍ଗଜନଙ୍କ ପାଇଁ ଦକ୍ଷତା ବିକାଶ ଓ ନିଯୁକ୍ତି ପରାମର୍ଶ ମେଳା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଯୁବକ ଯୁବତୀ ଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ସେମାନେ କିଭଳି ଭବିଷ୍ୟତରେ ସ୍ୱାବଲମ୍ବୀ ହୋଇପାରିବେ ସେଥି ସକାଶେ ପରାମର୍ଶ ପ୍ରଦାନ କରାଯାଇ ଯୋଗ୍ୟତା ଅନୁସାରେ ତାଲିକା ପ୍ରସ୍ତୁତ କରିବା ଏହି ଶିବିର ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ଜଣାଇଛନ୍ତି । ପରବର୍ତ୍ତି ସମୟରେ ସେମାନଙ୍କୁ ବିଭିନ୍ନ ଅନୁଷ୍ଠାନରେ ତାଲିମ ପ୍ରଦାନ ସକାଶେ ପ୍ରେରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । 2019 ମସିହାରେ ଆରମ୍ଭ ହୋଇ କୋଭିଡ ଯୋଗୁଁ ଦୁଇ ବର୍ଷ ବନ୍ଦ ପଡିଥିବା ଏହି ମେଳାରେ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌର ପରିଷଦରୁ ସମୁଦାୟ ୨୭୯ ଦିବ୍ୟାଙ୍ଗ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଗତ ଥର ଆୟୋଜିତ ମେଳାରେ ଚୟନ ହୋଇଥିବା ଯୁବକ ଯୁବତୀ ଭୁବନେଶ୍ୱର , ରାଉରକେଲା , ଜଟଣୀ ର ବିଭିନ୍ନ ତାଲିମଦାତା ଅନୁଷ୍ଠାନ ତଥା ସେଂଚୁରୀୟନ ବିଶ୍ବ ବିଦ୍ୟାଳୟ ରେ ତାଲିମ ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ସହ ସ୍ୱାବଲମ୍ବି ହୋଇପାରିଥିବା ଶ୍ରୀ ମହାପାତ୍ର ଜଣାଇଛନ୍ତି । ଚଳିତ ବର୍ଷ ମଧ୍ୟ ସେହି ଅନୁଷ୍ଠାନ ଗୁଡିକ କୋରାପୁଟ ଜିଲ୍ଲା ରୁ 164 ଜଣ ଦୃଷ୍ଟି , ଶ୍ରବଣ ତଥା ଶାରୀରିକ ଭାବେ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ଚୟନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଯୋଗ ଦେଇ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମରେ ଭାଗ ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲିପ କୁମାର ହିଆଲ,ସ୍ୱତନ୍ତ୍ର ବୈଷୟିକ ଶିକ୍ଷା ତାଲିମ କେନ୍ଦ୍ର ଜଟଣିର ସହାୟକ ତାଲିମ ଅଧିକାରୀ ବିପିନ ବିହାରୀ ଗୌଡ, ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱରର ଏୈଶ୍ୱର୍ୟା ନନ୍ଦିତା, ରେଡ୍ଡି ଫାଉଣ୍ଟେସନ ଭୁବନେଶ୍ୱରର ସଙ୍ଗିତା ବେହେରା, ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ଖୋର୍ଦ୍ଧାର ଅନସୂୟା ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ପ୍ରେମଦାନୀ କିଣ୍ଡୋ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆହାନା ବୈଦ,କନିଷ୍ଠ ସହାୟକ ଜଗନ୍ନାଥ ନାୟକ, ଏବଂ ସାମାଜିକ ସୁରକ୍ଷା ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Scroll to Top